Unknown

 

 

 

 

 

 

 

 

 

 

ଜଗନ୍ନାଥ-ଜଣାଣ

ଚିନ୍ତାମଣି ମହାନ୍ତି

 

ଛାନ୍ଦ-କାମୋଦୀ

-୧-

ଜଗତ ତାତମାତ            ହେ ପ୍ରଭୁ ଜଗନ୍ନାଥ

ଜଗତ ଜନ ମନ ପ୍ରାଣ,

କର ଯୋଡ଼ି କେବଣ      ଅଭାଗ୍ୟବନ୍ତ ଜନ

ଛାମୁରେ କରୁଛି ଜଣାଣ ହେ, ମହାପ୍ରଭୁ !

ସରିଆସୁଛି କ୍ରମେ ଆୟୁ,

ଜରା-ଅସୁରୀ ସାଧେ ଦାଉ,

ଜୀର୍ଣ୍ଣ ଅସ୍ଥି ପିଞ୍ଜରା            ହେଲାଣି ତ ପୋକରା

ଜୀବନେ କି ଭରସା ଆଉ ହେ, ମହାପ୍ରଭୁ !

 

-୨-

ମରଣକୁ ମୋହର            ନାହିଁ ତ ତିଳେ ଡର

ଦିଏ ସେ ବେଶ ବଦଳାଇ,

ଜୀର୍ଣ୍ଣ ବେଶ ବର୍ଜନେ      ନବବେଶ ଧାରଣେ

ହେବି ବା ଛାନିଆ କିପାଇଁ ହେ, ମହାପ୍ରଭୁ !

କି ଗତି ହେବ ମୃତ୍ୟୁ ପରେ,

ଏ ଚିନ୍ତା ଘାରେ ହୃଦୟରେ,

 

ଭବିଷ୍ୟତ ଭାବନା-            ଅନ୍ଧାରେ ହୋଇ ବଣା

ନିରତେ ଥରୁଛି ଭୟରେ ହେ, ମହାପ୍ରଭୁ !

 

-୩-

ଫେଡ଼ ମୋର ସନ୍ଦେହ      ସୁସ୍ଥିର ହେଉ ଦେହ

କର ମୋ ଚିତ୍ତଦ୍ୱିଧା ଦୂର,

ତୁମ୍ଭେ ସର୍ବଜ୍ଞ ପ୍ରଭୁ            ତୁମ୍ଭଙ୍କୁ ଜଣା ସବୁ

ତୁମ୍ଭେତ ଜଗତଠାକୁର ହେ, ମହାପ୍ରଭୁ !

ଅଭୟ ଆଜ୍ଞା ହେଉ ଦାସେ,

ନାଚୁ ମୋ ପରାଣ ଉଲ୍ଲାସେ,

ଆଶ୍ରା କରି ତୁମ୍ଭରି            ବାହୁ ଛାୟାକୁ ହରି

ପଡ଼ିଛି ଏ ଭବ-ପ୍ରବାସେ ହେ, ମହାପ୍ରଭୁ !

 

-୪-

ଥାଉ ଅପର କାମ            ତୁମ୍ଭ ମଙ୍ଗଳ ନାମ

ଉଚ୍ଚାରି ନାହିଁ ବାରେ ତୁଣ୍ଡେ,

ପ୍ରେମ ଭକ୍ତିରେ ଫୁଲି      ତୁମ୍ଭ ଚରଣଧୂଳି

କେବେ ତ ମାଖି ନାହିଁ ମୁଣ୍ଡେ ହେ, ମହାପ୍ରଭୁ !

 

ବିଷୟ-ପଙ୍କେ ରହି ବୁଡ଼ି,

ତୁମ୍ଭଙ୍କୁ ଯାଇଥିଲି ହୁଡ଼ି,

ନିଜକୁ ଗିରିବତ            ମଣୁଥିଲି ମହତ

ହୋଇ ମୁଁ ନଗଣ୍ୟ ପିମ୍ପୁଡ଼ି ହେ, ମହାପ୍ରଭୁ !

 

-୫-

ତୁଟିଗଲାଣି ମୋର            ସେ ସୁନାସ୍ୱପ୍ନ ଘୋର

ଆଉ ତ ନାହି କିନ୍ତୁ ବେଳ,

ପଶି ମହାଚମକ            ହୃଦୟ ଦକଦକ

ମରମେ ବିନ୍ଧେ ଯେହ୍ନେ ଶେଳ ହେ, ମହାପ୍ରଭୁ !

ଗେଲ ନା ଏ ତୁମ୍ଭର ଖେଳ,

ନ ଚେତାଇଲ ଥାଉଁ ବେଳ,

ଭୃତ୍ୟେ ଠକାଇ ଏତେ      ଅର୍ଜିଲ ଯଶ କେତେ

ଦାରୁଣ ଏଡ଼େ କିପାଁ ହେଲ ହେ, ମହାପ୍ରଭୁ !

 

-୬-

ମାମୁ ତୁମ୍ଭର କଂସ            ତାହା ପ୍ରାୟେ ନୃଶଂସ

ନ ହେବ କିପାଁ ନୀଳମଣି,

 

ମିଛ ନୁହେଁ ଏ କଥା            ବିଶ୍ୱଜନେ ସର୍ବଥା

ଆଣନ୍ତି ସିନା ମାମୁ ଅଣି ହେ, ମହାପ୍ରଭୁ !

ତୁମ୍ଭେ ତ ଅଟ ବିଶ୍ୱେ ସାର,

ହେବ କି ତହିଁରୁ ବାହାର,

ପ୍ରଭୁ କିଙ୍କର ପ୍ରତି            ହେଲେ ନିଷ୍ଠୁର ମତି

ଆଉ ସେ ହୋଇବ କାହାର ହେ, ମହାପ୍ରଭୁ !

 

-୭-

ଦେଖିବ କି ନୟନେ            ତୁମ୍ଭରି ସୃଷ୍ଟ ଜନେ

ଦଣ୍ଡିବା କାଳେ ଦଣ୍ଡଧର,

ପିତୃନୟନ ତବ            ସହିବ କି ମାଧବ

ସେ ଦୃଶ୍ୟ ଅତି କଷ୍ଟକର ହେ, ମହାପ୍ରଭୁ !

ବିଶ୍ୱର ତୁମ୍ଭେ ପରା ରାଜା,

ପର ହାତରେ ତୁମ୍ଭ ପ୍ରଜା,

ମାଡ଼ ଖାଇଣ ଯେବେ            ମରିବ କହ ତେବେ

କାହାକୁ ହୋଇବ ସେ ଲଜ୍ଜା ହେ, ମହାପ୍ରଭୁ !

 

-୮-

ଗାଳିକି ତ ତୁମ୍ଭର            ଛଳ ନାହିଁ ନିକର

ତାହାକୁ କିଣ କରି କାଳି,

ସାରାସୃଷ୍ଟିର ଗାଳି            ସହୁଛ ବନମାଳି

ଆନନ୍ଦେ ମାରି କରତାଳି ହେ, ମହାପ୍ରଭୁ !

ଗାଳି ତ ତୁମ୍ଭର ଚନ୍ଦନ,

ଶ୍ରୀଅଙ୍ଗେ କର ତା ଲେପନ,

ନ ଥିଲେ ସହ୍ୟଗୁଣ            ଧୈର୍ଯ୍ୟ ତିତିକ୍ଷା ପୁଣ

କେ ପ୍ରଭୁପଣକୁ ଭାଜନ ହେ, ମହାପ୍ରଭୁ !

 

-୯-

ଲବଣୀ କ୍ଷୀର ସର            ଚୋରାଇ ବଂଶୀଧର

ବାଳୁତ କାଳେ ଗୋପପୁରେ,

ଖାଇଛ ଗାଳି ଯେତେ      କହିବି ତାହା କେତେ

ଅଜଣା ନୁହେଁ ତା ଛାମୁରେ ହେ, ମହାପ୍ରଭୁ !

ଅଲେକ ସର୍ବ ଗୋପବାଳୀ,

ବର୍ଷନ୍ତି ଅନର୍ଗଳ ଗାଳି,

 

ପକାଇ ଡକା ଘୋର      କହନ୍ତି ଚୋର ଚୋର

ଧର ଗୋ ଧର ଗୋ ଓଗାଳି ହେ, ମହାପ୍ରଭୁ !

 

-୧୦-

ଭାଗ୍ୟବତୀ ଗୁଆଳୀ            ଦେଇ ତୁମ୍ଭଙ୍କୁ ଗାଳି

ଲଭିଲେ ତୁମ୍ଭ ପଦାଶ୍ରୟ,

କାହିଁ ସେ ଭାଗ୍ୟ ମୋର            ମୁଁ ଯେ ପତିତ ଘୋର

ପାମର ଛାର ଦୁରାଶୟ ହେ, ମହାପ୍ରଭୁ !

ନାହିଁ ମୋହର ଆତ୍ମଜ୍ଞାନ,

ବହିଛି ତେଣୁ ଅଭିମାନ,

ଦୁର୍ବଳର ସମ୍ୱଳ            ତେତିକି ତ କେବଳ

ତା ବିନା ନ ଜାଣେ ସେ ଆନ ହେ, ମହାପ୍ରଭୁ !

 

-୧୧-

ମୋର ଏ ଅଭିମାନ            ନ ହେବ କେବେ ଆନ

ବାନ୍ଧିଛି ଏ ଭରସା ଆଣ୍ଟେ,

ଅଣବୁଝା ସନ୍ତାନେ            ପିତା ଅଧମ ଜ୍ଞାନେ

ଦିଅନ୍ତି ଅଧିକ ତା ବାଣ୍ଟେ ହେ, ମହାପ୍ରଭୁ !

 

ଏହା ମୁଁ ଜାଣେ ନିଶ୍ଚୟରେ,

ରହିଛି ତେଣୁ ନିର୍ଭୟରେ,

ଏହି ମୂଢ଼ ବିଶ୍ୱାସ            ଅର୍ପେ ମୋତେ ଅଶ୍ୱାସ

କି ଜାଣି କି ଘଟିବ ପରେ ହେ, ମହାପ୍ରଭୁ !

 

-୧୨-

ଖେଳି ବିଫଳ ଖେଳ      ବିଅର୍ଥେ ଗଲା ବେଳ

ଆଉ ତ ନାହିଁ ଅବସର,

ବାନ୍ଧୁ ବାନ୍ଧୁ ପଗଡ଼ି            ଗଲାଣି ଲଗ୍ନ ଗଡ଼ି

ଏ କ୍ଷୋଭ ଦହୁଛି ଅନ୍ତର ହେ, ମହାପ୍ରଭୁ !

ଏ ଘାନ୍ତି ମୃତ୍ୟୁ ଘଟିପାରେ,

କିବା ବିଶ୍ୱାସ ତାହାଠାରେ,

ଅନିଶ୍ଚିତ ଜୀବନ            ସୁନିଶ୍ଚିତ ମରଣ

ସଂଶୟ କିସ ଏ କଥାରେ ହେ, ମହାପ୍ରଭୁ !

 

-୧୩-

ଏହି ଦାରୁଣ ଖେଦ            ଚିତ୍ତେ ଆଣି ନିର୍ବେଦ

ଦେଉଛି ଅଶେଷ ଧିକ୍କାର,

 

ନାହିଁ ତ ଦୟା ତାର            କରେ ପୁଣି ପ୍ରହାର

ଅନଳଛାଟ ବାରମ୍ୱାର ହେ, ମହାପ୍ରଭୁ !

ଭାବିଲେ ଅନ୍ତିମ ଅବସ୍ଥା,

ମରମେ ବାଧେ ବଡ଼ ବ୍ୟଥା,

ଉଭେଇଯାଏ ଜ୍ଞାନ            କାନ୍ଦି ଉଠେ ପରାଣ

ବିକୃତ ହୋଇଯାଏ ମଥା ହେ, ମହାପ୍ରଭୁ !

 

-୧୪-

ଜ୍ଞାନ-କିରଣ ବିନ୍ଦୁ            ନ ଦେଇ ଜ୍ଞାନ-ସିନ୍ଧୁ

ଦେଉଛ କିପାଁ କ୍ଷୋଭ ପୁଣି,

ଚରାଚର ସମସ୍ତ            କର୍ଣ୍ଣରେ ଦେଇ ହସ୍ତ

ଚାଟଙ୍କା ହେବେ ଏହା ଶୁଣି ହେ, ମହାପ୍ରଭୁ !

ତୁମ୍ଭେ ତ ନୀତିଜ୍ଞ ପ୍ରବର,

ନିଖିଳ ନୀତି ଧୁରନ୍ଧର,

ନିର୍ମାୟ ନିର୍ବିକାର            ତୁମ୍ଭର ଏ ବେଭାର

ବିଚାର ହେଲା କି ସୁନ୍ଦର ହେ, ମହାପ୍ରଭୁ !

 

-୧୫-

ଦେଇ ପୀଡ଼ା ଅଧିକ            ସହିବା ଶକ୍ତିଟିକ

ନେଉଛ ସବଳେ ଛଡ଼ାଇ,

ପଚା କଖାରୁ ପରି            ଉପର ରକ୍ଷା କରି

ଭିତର ଦେଉଛ ସଢ଼ାଇ ହେ, ମହାପ୍ରଭୁ !

ଭୁଞ୍ଜୁଛି ଅସହ୍ୟ ଯନ୍ତ୍ରଣା,

ବିବେକ ହୋଇଯାଏ ବଣା,

କିସ କହିବି ଆଉ            ଦୁର୍ଗତି ମହାବାହୁ

କି ଅବା ତୁମ୍ଭଙ୍କୁ ଅଜଣା ହେ, ମହାପ୍ରଭୁ !

 

-୧୬-

ନ ଲାଗେ କିଛି ଭଲ            ଏ ଆତ୍ମା କଲବଲ

ହେଉଛି ହୋଇପାରେ ଯେତେ,

ପ୍ରଚଣ୍ଡ ଝଞ୍ଜାବାତେ            ରୁଦ୍ର ତରଙ୍ଗାଘାତେ

ଥରିବ ନାହିଁ ଚରୀ ତେତେ ହେ, ମହାପ୍ରଭୁ !

ଭାଷାର କି ସାଧ୍ୟ ବର୍ଣ୍ଣନା-

କରିବ ସେ ଅଗ୍ନି ଯନ୍ତ୍ରଣା,

 

ସହି ନ ପାରି ତାର            ବିଷମ ଗୁରୁଭାର

ଫାଟି ତ ଯିବ ତା ମୂର୍ଦ୍ଧନା ହେ, ମହାପ୍ରଭୁ !

 

-୧୭-

ସଙ୍କଟ ବେଳେ ଆହା      ନ ହେଇ ଯେବେ ସାହା

ହେବ ବା କେଉଁ କାଳେ ଆଉ,

ଦର୍ଶନ ଦିଅ ହରି            ଆତୁରେ କୃପାକରି

ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ହେ, ମହାପ୍ରଭୁ !

ବାରେକ ଦେଖିଲେ ଶ୍ରୀମୁଖ,

ପାସୋରିଯିବି ସବୁ ଦୁଃଖ,

ହରିଯିବ ଆବର            ଯନ୍ତ୍ରଣା ଗୁରୁତର

ମଣିବି ଦୁଃଖେ ମହାସୁଖ ହେ, ମହାପ୍ରଭୁ !

 

-୧୮-

ଏତେବେଳେ ଦାରୁଣ            ହେଲେ ହେ ପ୍ରଭୁ ଶୁଣ

ଆଶ୍ରିବି ଯେବେ ମୃତ୍ୟୁଅଙ୍କ,

ତେବେ ତୁମ୍ଭର ହରେ      ଦୟାମୟ ନାମରେ

ନିଶ୍ଚୟ ଲାଗିବ କଳଙ୍କ ହେ, ମହାପ୍ରଭୁ !

 

ମୁଖେ କେ ପତିତ-ତାରଣ,

କରିବେ ନାହିଁ ଉଚ୍ଚାରଣ,

ଉଠିଯିବ ସୁଖଦ            ଆର୍ତ୍ତତ୍ରାଣ ଶବଦ

ଅଭିଧାନରୁ ନାରାୟଣ ହେ, ମହାପ୍ରଭୁ ।

 

-୧୯-

ତପ୍ତ ଅଶ୍ରୁ ମୋହର            ଝରୁଛି ନିରନ୍ତର

ପଡ଼ି ତା ପୟରେ ତୁମ୍ଭର,

ନ ହୁଏ କି ଫୋଟକା      ଲାଗେ ମୋତେ ତାଟଙ୍କା

ପାଷାଣ ହେଲା କି ପୟର ହେ, ମହାପ୍ରଭୁ !

ମୋର ଏ ଅନଳ ନିଃଶ୍ୱାସ,

ଶ୍ରୀଅଙ୍ଗେ ନ ଦିଏ କି ପ୍ରାସ,

କରୁଣା ସିଂହାସନ            ନ ଟଳେ କି ମୋହନ

ଶୁଣି ମୋ ଆର୍ତ୍ତ ହା ହା ଭାଷ ହେ, ମହାପ୍ରଭୁ !

 

-୨୦-

ସତେ କି ଦୀନବନ୍ଧୁ            ତପ୍ତ ହୃଦୟ-ଇନ୍ଦୁ

ନିଷ୍ଠୁର ଏଡ଼େ ହୋଇପାର,

 

କିନ୍ତୁ ଏହା ତ ମୋତେ      ହେଉ ନାହିଁ ପରତେ

ତୁମ୍ଭେ ଯେ କୃପା-ପାରାବାର ହେ, ମହାପ୍ରଭୁ !

ଫଳେ କି ମଧୁର ରସାଳେ,

କୋଚିଲା ଫଳ କେଉଁ କାଳେ,

ଦୁର୍ଗନ୍ଧରେ ଅତୁଲ            ଗନ୍ଧଗୋହିରା ଫୁଲ

ଫୁଟିବ କେବେ କି ମୃଣାଳେ ହେ, ମହାପ୍ରଭୁ !

 

-୨୧-

ଶୋକ-ସିଂହାସନରେ      ଚକ୍ରବର୍ତ୍ତୀପଣରେ

କେ ଅଛି ମୋ ସମାନେ କାହିଁ,

କୋଟି ବ୍ରହ୍ମାଣ୍ଡ ମଧ୍ୟେ      ମୋ ପରି ଜଣେ ଅଧେ

ନିରକ୍ଷ ଜନ ଥିବ ନାହିଁ ହେ, ମହାପ୍ରଭୁ !

ଭାଗ୍ୟ ଯେ ବଇରୀ ମୋହର,

ନୁହେଁ ତା ମୂଲ୍ୟ କଡ଼ାକର,

ଦେଲେ ତାକୁ ହେ ହରି            ତୁଚ୍ଛାରେ ଯାଚି କରି

କେହି ତା’ ନ ନେବ ନିକର ହେ, ମହାପ୍ରଭୁ !

 

-୨୨-

କାହାକୁ ଜଗଦୀଶ            ଦେଉ ନାହଁ ବା କିସ

ମୋ ପ୍ରତି ଏକା ସିନା ବାମ,

ପ୍ରେମ ଭକତି ଜ୍ଞାନ            ଥିଲେ ମୁଁ ହୀନମାନ

ହୁଅନ୍ତି କିପାଁ ଘନଶ୍ୟାମ ହେ, ମହାପ୍ରଭୁ !

ଅଜ୍ଞାନେ ବୁଡ଼ି ଥାଉଁ ଥାଉଁ,

ସୁଜ୍ଞାନ ମିଳିବ ବା କାହୁଁ,

ଅନ୍ଧାରେ ଆଲୋ ଯେବେ            ନ ଦେଖାଇବ ତେବେ

କିଏ ବା ଦେଖାଇବ ଆଉ ହେ, ମହାପ୍ରଭୁ ।

 

-୨୩-

ଏ ଆଜ୍ଞା ହେବ ପରା      କିପାଁ ହେଉ ଘାବରା

କିସ ବା ଦେଇ ନାହିଁ ତୋତେ,

ତୋହଠାରେ କରୁଣା      କରି ନାହିଁ ତ ଊଣା

ଭାସୁଛୁ ବୃଥା ଶୋକ-ସ୍ରୋତେ ହେ ମହାପ୍ରଭୁ !

ମାନୁଛି ଦେଇଛ ସକଳ

ମାତ୍ର ତା ସୁବର୍ଣ୍ଣ ଶୃଙ୍ଖଳ,

 

ସୁବର୍ଣ୍ଣେ ହେଲେ ଗଢ଼ା      ନୁହେଁ କଠିନ ଛଡ଼ା

କୁସୁମ ପରାଏ କୋମଳ ହେ, ମହାପ୍ରଭୁ !

 

-୨୪-

ଦେଇଛ ଯାହା ପ୍ରଭୁ            ରହିବ ତାହା ସବୁ

ପଡ଼ି ଏ ମାଟିରେ ତୁମ୍ଭର,

ସଙ୍ଗରେ ନେବା ଭଳି      ଦିଅ କିଛି ଏ ଅଳି

କରୁଛି ଯୋଡ଼ି ବେନି କର ହେ, ମହାପ୍ରଭୁ !

ନ ଦେବ ତାହା ଯେବେ ହରି,

ନିଜକୁ ଦିଅ କୃପା କରି,

ପାଇଲେ ମୁଁ ତୁମ୍ଭଙ୍କୁ            ନିସ୍ତରିବି ଆତଙ୍କୁ

ମଣିବି ନିଧିଲାଭ ପରି ହେ, ମହାପ୍ରଭୁ !

 

-୨୫-

ତୁମ୍ଭେ ପ୍ରଭୁ ଅନନ୍ତ            ମୁଁ ଯେ କ୍ଷୁଦ୍ର ଅତ୍ୟନ୍ତ

କି ଜାଣେ ମହିମା ତୁମ୍ଭର,

ଶୁକପକ୍ଷୀ ସମାନ            ତୁମ୍ଭରି ବୋଲିମାନ

ଘୋଷୁଛି ସିନା ନିରନ୍ତର ହେ ମହାପ୍ରଭୁ !

 

ନ ଜାଣେ ଅର୍ଥ ମୁଁ ତାହାର,

ଘୋଷିବା ମାତ୍ର ଏକା ସାର,

କରାଉଛ ଯେ କର୍ମ            ନ ବୁଝି ତାହା ମର୍ମ

କରୁଛି ଅନୁଜ୍ଞା ପ୍ରକାର ହେ, ମହାପ୍ରଭୁ !

 

-୨୬-

ତାହା ଯେବେ ତୁମ୍ଭର      ନ ହେଲା ପ୍ରୀତିକର

ଅଥବା ନ ହେଲା ପସନ୍ଦ,

ସେଥିଲାଗି ମୁଁ ଦାୟୀ      ହେବି ବା କାହିଁ ପାଇଁ

ବିଚାର ଭଲା ଆଦିକନ୍ଦ ହେ, ମହାପ୍ରଭୁ !

ଆପଣା କଲା କର୍ମ ପାଇଁ,

ଦଣ୍ଡିବ ଆନେ ଭାବଗ୍ରାହୀ,

ଜାଣି ହେଲେ ଅଜଣା      କଲେ ଅବୁଝାମଣା

କାହାକୁ ନିନ୍ଦା ଜଗୁସାଇଁ ହେ, ମହାପ୍ରଭୁ !

 

-୨୭-

ତୁମ୍ଭରି ହେମନ୍ତରେ            ଦମ୍ଭ ଧରି ଅନ୍ତରେ

ବିଚାରୁଥାଏଁ ମୁଁ ଏସନ,

 

ଭବେ ବିପଦ ଛାର            କି କରିପାରେ ତାର

ଯା ପ୍ରଭୁ ବିପଦନାଶନ ହେ, ମହାପ୍ରଭୁ !

ସତେ କି ଏ ଦମ୍ଭ ମୋହର,

ଚୂର୍ଣ୍ଣ କରିବ ଚକ୍ରଧର,

ତେବେ କିଏ କାହିଁକି      ଶ୍ରୀପଦେ ହୋଇ ବିକି

ପୂଜିବ ଅଭୟ ପୟର ହେ, ମହାପ୍ରଭୁ !

 

-୨୮-

କଥାଏ ପଚାରିବି            ସଂଶୟ ନିବାରିବି

କହିବ ନ କରି କପଟ,

ଆଉ ବା କେତେ କାଳ            ବହି ବ୍ୟର୍ଥ ଜଞ୍ଜାଳ

ଏରୂପେ ହେବି ଛଟପଟ ହେ, ମହାପ୍ରଭୁ !

କେତେ କାଳ ବା ଏହିମତି,

ଦେଖିବ ତୁମ୍ଭେ ମୋ ଦୁର୍ଗତି,

ଶ୍ରୀକରେ ଚକ୍ର ଥାଉଁ            ସତେ କି ମହାବାହୁ

ସେବକେ ଗ୍ରାସିବ ବିପତ୍ତି ହେ, ମହାବାହୁ !

 

-୨୯-

ତୁମ୍ଭେ  ଶିଶୁପରି            ଖେଳୁଛ ମୋତେ ଧରି

ମୁଁ ସିନା ଖେଳଦ୍ରବ୍ୟ ତବ,

ତୁମ୍ଭର ହୁଏ କ୍ରୀଡ଼ା            କିନ୍ତୁ ମୁଁ ଭୁଞ୍ଜେ ପୀଡ଼ା

କର କି ଏହା ଅନୁଭବ ହେ, ମହାପ୍ରଭୁଃ !

ତୁମ୍ଭେ  ବିବେକ ଆଧାର,

ଚିତ୍ତରେ କର ହେ ବିଚାର,

ଏକର ସର୍ବନାଶ            ଆନର ପୌଷମାସ

 ନିକି ପ୍ରଭୁଙ୍କ ବେଭାର ହେ, ମହାପ୍ରଭୁ !

 

-୩୦-

ଖିତ ବିଶ୍ୱଠାକୁର            ତେଜି ବୈକୁଣ୍ଠପୁର

କରିଛି ବିଜେ ନୀଳାଚଳେ,

ଭକ୍ତ ଆତୁର ଜନେ            ଦେଉଛ ସ୍ୱଚ୍ଛମନେ

ଅଭୟ ଯାଚି ବଳେ ବଳେ ହେ, ମହାପ୍ରଭୁ !

ତୁମ୍ଭ କୃପାରୁ  ଉତ୍କଳ,

ହୋଇଛି ମହା ତୀର୍ଥସ୍ଥଳ,

 

କୋଟି କୋଟି ମାନବ      ଭକ୍ତିରେ କରି ସ୍ତବ

ପୂଜନ୍ତି ତା’ ପଦକମଳ ହେ, ମହାପ୍ରଭୁ !

 

-୩୧-

ମାତୃମହୀ ଯାହାର            ସ୍ୱର୍ଗରୁ ବଳୀଆର

ଜନକ ଯାର ଜଗନ୍ନାଥ,

ଦୀନ ଭିକାରୀ ପରି            ହୀନ ଜୀବନ ଧରି

ସେ କିପାଁ ହୋଇଲା ଅନାଥ ହେ, ମହାପ୍ରଭୁ !

ସାଗରେ ଆଶ୍ରାକରି ମୀନ,

ହୁଏ କି ପିପାସାରେ କ୍ଷୀଣ,

ତୁମ୍ଭଙ୍କୁ ଆଶ୍ରା କରି            ହେଲି ମୁଁ ଏତେ ସରି

ଘୁଞ୍ଚିଲା ନାହିଁ ମୋ ଦୁର୍ଦ୍ଦିନ ହେ, ମହାପ୍ରଭୁ !

 

-୩୨-

ତୁମ୍ଭ କରୁଣାବିନ୍ଦୁ            ଲଭି  ମହାସିନ୍ଧୁ

ସାଧୁଛି ବିଶ୍ୱର କଲ୍ୟାଣ,

ଜଳ ବରଷେ ଘନ            ଔଷଧି ବାଣ୍ଟେ ବନ

ପବନ ଯାଚିଦିଏ ପ୍ରାଣ ହେ, ମହାପ୍ରଭୁ !

 

ସ୍ୱର୍ଗର ବିଭବ ଅନନ୍ତ,

ମର୍ତ୍ତ୍ୟରେ ବିତରେ ବସନ୍ତ,

ଶୋଭା ସୁଗନ୍ଧ ଦାନ      କରନ୍ତି ପୁଷ୍ପମାନ

ପ୍ରଦାନେ ରତ୍ନ ହିମବନ୍ତ ହେ, ମହାପ୍ରଭୁ !

 

-୩୩-

ସତ୍ୟ ଶିବ ସୁନ୍ଦର            ହେ ପ୍ରଭୁ ନିରୀଶ୍ୱର

ଘଟାଅ ମୋ ଭାଗ୍ୟେ ଏସନ,-

କୁସୁମ ସୁଷମାରେ            ଗଲ୍ଲବ ନୀଳିମାରେ

ପାଇବି ତୁମ୍ଭରି ଦର୍ଶନ ହେ, ମହାପ୍ରଭୁ !

ସୂତୀକ୍ଷ୍‌ଣ ରବି ରଶ୍ମି ଧାରେ

ଚନ୍ଦ୍ରର ଶୀତଳ ଜ୍ୟୋତ୍ସ୍ନାରେ,

ମହାମହିମା ତବ            ସର୍ବଦା ଅନୁଭବ

କରିବି ଯେହ୍ନେ ସବୁଠାରେ ହେ, ମହାପ୍ରଭୁ !

 

-୩୪-

କା ଭାଗ୍ୟେ ରାଜଟିକା      କା ଭାଗ୍ୟେ ମୁଷ୍ଟିଭିକ୍ଷା

ବିଧାନ କରୁଛ ଶ୍ରୀଧର,

 

 ଖୋଜେ ମୁହିଁ ତାହା ଏହା  ଜଗୁ ନାହା

ତୁମ୍ଭର ନୁହେଁ ଅଗୋଚର ହେ, ମହାପ୍ରଭୁ !

ଲୋଡ଼େ ମୁଁ ତୁମ୍ଭ ପଦାଶ୍ରୟ,

ଆବର ଶାନ୍ତି-ସୁଧାମୟ,

ଏତିକି ହେଲେ ମୋର      ତୁଟିବ ଚିନ୍ତା ଘୋର

ମୋ ଚିତ୍ତ ହେବ ନିରାମୟ ହେ, ମହାପ୍ରଭୁ !

 

-୩୫-

ବେଳୁ ବେଳୁ ସଙ୍କଟ            ହୋଇ ଅତି ଉତ୍କଟ

ଧାଇଁଛି କରିବାକୁ ଗ୍ରାସ,

ତେଣୁ ତୁମ୍ଭଙ୍କୁ ହରି            ଡାକୁଛି ରଡ଼ିକରି

ଅନ୍ତରେ ବହି ମହାତ୍ରାସ ହେ, ମହାପ୍ରଭୁ !

ବିଳମ୍ୱ ହେଲେ ଆଉ କ୍ଷଣେ,

ସନ୍ଦେହ ନାହିଁଟି ମରଣେ,

ପରହାତେ କିପାଇଁ            ମରାଇବ ଗୋସାଇଁ

ସ୍ୱହସ୍ତେ  ମାରି ଆପଣେ ହେ, ମହାପ୍ରଭୁ !

 

-୩୬-

ସ୍ୱରୂପ ଦେଖିବାକୁ            କରୁଥିଲି ମୁଁ କାକୁ

ଶୁଣ ହେ ସୃଷ୍ଟି-କାବ୍ୟ-କବି,

ମାୟାବି, ମାୟା କରି      ପିଲା ଭଣ୍ଡାଣପରି

ଭଣ୍ଡାଇଦେଲ ଦେଇ ଛବି ହେ, ମହାପ୍ରଭୁ !

କିନ୍ତୁ ମୁଁ  ହୋଇ ନିରାଶ,

ଅଧିକେ ଲଭିଛି ଆଶ୍ୱାସ,

ଛବି ପଛେ ସ୍ୱରୂପ            ଦେଖିବି ବିଶ୍ୱଭୂପ

ବାନ୍ଧିଛି ଦୃଢ଼େ  ବିଶ୍ୱାସ ହେ, ମହାପ୍ରଭୁ !

 

-୩୭-

ତୁମ୍ଭେ ମଙ୍ଗଳାଳୟ            ଅନନ୍ତ ଇଚ୍ଛାମୟ

ମଙ୍ଗଳ ଇଚ୍ଛା ପୂରୁ ତବ,

ଯାହା ତୁମ୍ଭର ଦେୟ            ହେୟ ନୁହେଁ ତା ଶ୍ରେୟ

 କଥା ନୁହେଁ ଅବାସ୍ତବ ହେ, ମହାପ୍ରଭୁ !

ତୁମ୍ଭେ  ବ୍ରହ୍ମାଣ୍ଡଠାକୁର,

କେମନ୍ତେ ହେବ ବା ନିଷ୍ଠୁର,

 

କରୁଣାସିନ୍ଧୁ ନାମ            ତୁମ୍ଭଙ୍କୁ ଘନଶ୍ୟାମ

କରାଇଦେବ ନାହିଁ କ୍ରୂର ହେ, ମହାପ୍ରଭୁ !

 

-୩୮-

ଏତେ ଯେ ମାନ ଧରି      ବସିଲି ରୁଷିକରି

ବେଳେ  ବେଉସିଲ ନାହିଁ,

ଜାଣିଲି ଏବେ ସିନା            ଦାବୀ କରିବା ବିନା

ରୁଷା ଭିକ୍ଷାରେ ଫଳ କାହିଁ ହେ, ମହାପ୍ରଭୁ !

ରଖିବା ଇଚ୍ଛା ଯେବେ ନାହିଁ,

ଜନମ କଲ କାହିଁ ପାଇଁ,

ନିଜେ ବିଚାର କର            ତୁମ୍ଭେ ସିନା ମୋହର

ଭଲ ମନ୍ଦକୁ ଏକା ଦାୟୀ ହେ, ମହାପ୍ରଭୁ !

 

-୩୯-

ତେଜି ସକଳ ଦକ            ହୋଇଣ ମୁଁ ନିଃଶଙ୍କ

ନଶ୍ୱର ଶରୀର ଜୀବନ,

ଚିନ୍ତା ସଙ୍କଟ ଖେଦ            ସୁଖ ଦୁଃଖ ନିର୍ବେଦ

ତୁମ୍ଭଙ୍କୁ କଲି ସମର୍ପଣ ହେ, ମହାପ୍ରଭୁ !

 

ଏମାନ ଅଟେ  ତୁମ୍ଭର,

ଯା ତୁମ୍ଭ ଇଚ୍ଛା ତାହା କର,

ମୋହର କହିବାର            କି ଅଛି ଅଧିକାର

ରହିବି ମୁହିଁ ସ୍ୱତନ୍ତର ହେ, ମହାପ୍ରଭୁ !

 

-୪୦-

ବୃଥାରେ ବକି ବକି            ପଡ଼ିଲିଣି ମୁଁ ଥକି

ରହିବି ଏବେ ହୋଇ ତୁନି,

ଘଟୁ ଯା ଘଟିବାର            ଅନ୍ତରେ ବାରମ୍ୱାର

ଢାଳିବି ନାହିଁ ଶୋକଧୁନି ହେ, ମହାପ୍ରଭୁ !

 ମୋର ପ୍ରତିଜ୍ଞା ଅଟଳ,

କେବେହେଁ  ହେବ ବିଫଳ,

ନିଶ୍ଚିନ୍ତ ଚିନ୍ତାମଣି             କଥା ଧ୍ରୁବମଣି

ଦୃଢ଼ତା ଦୁର୍ବଳର ବଳ ହେ, ମହାପ୍ରଭୁ !